Unknown

 

 

 

 

 

 

 

 

 

ତିମି

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

—୧—

C:\Users\USER-3\Downloads\WhatsApp Image 2022-12-19 at 5.05.11 PM.jpeg

 

ସମସ୍ତେ ଜାଣନ୍ତି, ଏ ପୃଥିବୀରେ ହାତୀ ସବୁଠାରୁ ବଡ଼ ଜୀବ । କିନ୍ତୁ ସମୁଦ୍ରର ପାଣି ଭିତରେ ଏଭଳି ଜୀବ ଅଛନ୍ତି, ଯାହାଙ୍କ ପାଖରେ ହାତୀ ଅତି ନଗଣ୍ୟ—ବାଘ ପାଖରେ ଗୋଟିଏ ସାମାନ୍ୟ ବିଲେଇ ଛୁଆ ପରି ।

 

ସମୁଦ୍ରର ଏହି ବିରାଟ ରାକ୍ଷସ ଭଳି ଜୀବ ହେଉଛି ତିମି ।

 

ତିମି ପାଣି ଭିତରେ ବାସକରେ । ତାହାର ଗୋଡ଼ ନାହିଁ । ସେ ଶୁଖିଲାରେ ମାଟି ଉପରେ ଚାଲିପାରିବ ନାହିଁ କି ଚଳିପାରିବ ନାହିଁ । ଏହି କାରଣରୁ ଆଗେ ଅନେକେ ଏହାକୁ ମାଛଜାତୀୟ ଜୀବ ବୋଲି କହୁଥିଲେ । ମାତ୍ର ତିମି ମାଛ ନୁହେ—ସ୍ତନ୍ୟପାୟୀ ଜନ୍ତୁ । ମାଈ ମାଛ ଅଣ୍ଡା ଦିଏ; ମାତ୍ର ମାଈ ତିମି ଛୁଆ ଜନ୍ମ କରେ । ମା ଛୁଆଙ୍କୁ ନିଜର ସ୍ତନ ଖୁଆଇ ବଢ଼ାଏ । ମାଛ ଦେହର ରକ୍ତ ଥଣ୍ଡା; କିନ୍ତୁ ତିମି ଦେହର ରକ୍ତ ଗରମ—ଠିକ୍ ଆମମାନଙ୍କ ଦେହର ରକ୍ତ ପରି । ମାଛ ତା ଗାଲିଶି ବା ଫୁଲ ଦ୍ୱାରା ନିଃଶ୍ୱାସ ନିଏ, ପ୍ରଶ୍ୱାସ ଛାଡ଼େ । ଶୁଖିଲାରେ ଥିବା ଅନ୍ୟାନ୍ୟ ପଶୁ ଭଳି ତିମିର ଛାତି ଭିତରେ ଫୁସଫୁସ୍ ରହିଛି । ତାହାରି ସାହଯ୍ୟରେ ସେ ନିଃଶ୍ୱାସ ନିଏ ଓ ପ୍ରଶ୍ୱାସ ଛାଡ଼େ-। ମାଛର ଦେହଯାକ କାତି, ତିମି ଦେହରେ ଚିକ୍‍କଣ ଚମଡ଼ା ଏବଂ ତା ଉପରେ ସ୍ଥାନେ ସ୍ଥାନେ ଛୋଟ ଲୋମ ଥାଏ । ଏହାର ଲାଞ୍ଜ ମାଛ ଲାଞ୍ଜ ପରି ନୁହେଁ । ମାଛ ଲାଞ୍ଜର ଶେଷ ଅଂଶ ଓସାରରେ ତଳ ଉପର ହୋଇ ରହିଥାଏ; କିନ୍ତୁ ତିମି ଲାଞ୍ଜର ଶେଷ ଅଂଶର ଚଉଡ଼ା ଦୁଇ କଡ଼କୁ । ପଣ୍ଡିତମାନେ କହନ୍ତି, ଆଗେ ତିମି ଦେହରେ ଚାରିଟା ଗୋଡ଼ କୁମ୍ଭୀର ଗୋଡ଼ ପରି ଥିଲା । କାଳକ୍ରମେ ପଛର ଗୋଡ଼ ଦୁଇଟା ଲୋପ ପାଇଯାଇଛି; ଆଗ ଗୋଡ଼ ଦୁଇଟା ତାହାର ଗାଲି ବା ଡେଣାରେ ପରିଣତ ହୋଇଯାଇଛି । ଭଲରୂପେ ପରୀକ୍ଷା କଲେ ଦେଖାଯିବ ଯେ, ସେ ଗାଲିରେ ପଶୁ ଗୋଡ଼ର ଆଙ୍ଗୁଠି ପରି ପାଞ୍ଚଟି ଲେଖାଏ ଆଙ୍ଗୁଠି ରହିଛି ।

 

ମାଁ ତିମିର ଛାତିରେ ଦୁଇଟି ସ୍ତନ ଥାଏ । ପାଣି ଭିତରେ ଛୁଆ ଜନ୍ମ ହୁଏ । ଯେତେଦିନ ପର୍ଯ୍ୟନ୍ତ ଛୁଆ ସମର୍ଥ ହୋଇ ନ ଥାଏ, ସେତେଦିନ ଯାଏ ମାଁ ତାକୁ ପାଖରେ ରଖି ସ୍ତନ ଖୁଆଏ । ଛୁଆ ଉପରେ ମାଁ ତିମିର ସ୍ନେହ ମମତା ଖୁବ୍ ବେଶି ।

 

—୨—

 

ତିମି ପ୍ରଧାନତଃ ଦୁଇ ଶ୍ରେଣୀର । ଦନ୍ତହୀନ ତିମି ଓ ଦାନ୍ତ ଥିବା ତିମି । ଦନ୍ତହୀନ ତିମି ଆକାରରେ ସବୁଠାରୁ ବଡ଼ । ଏମାନଙ୍କ ପାଟିର ଉପର ପାଖରେ ଟାଣୁଆ ମାଡ଼ି ରହିଥାଏ । ଏ ମାଡ଼ି ପୁଣି ଗୋଟାଏ ଦୁଇଟା ନୁହେ; ଦୁଇଶହରୁ ତିନିଶହ ପର୍ଯ୍ୟନ୍ତ ମାଡ଼ି ସମାନ୍ତରାଳ ଭାବରେ ଉପରେ ପାଟିରେ ଝୁଲିଲା ଅବସ୍ଥାରେ ଥାଏ । ମଝିରେ ଥିବା ମାଡ଼ିଗୁଡ଼ିକ ପ୍ରାୟ ତିନି ମିଟର ଲମ୍ବା ହୋଇଥାଏ ।

 

ଏହି ଦନ୍ତହୀନ ତିମିକୁ ପ୍ରକୃତ ତିମି କୁହାଯାଏ । ଏଗୁଡ଼ିକର ଆକାର ଯେପରି ବିରାଟ, ସ୍ୱଭାବ ମଧ୍ୟ ସେହିପରି ହିଂସ୍ର । ଗୋଟିଏ ଗୋଟିଏ ତିମି ସାଧାରଣତଃ ପଚାଶରୁ ଷାଠିଏ ହାତ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି । ସେହି ତୁଳନାରେ ଦେହର ଗୋଲେଇ । ଦେହର ଓଜନ ଅନ୍ତତଃ ଚାଳିଶି ବା ପଇଁଚାଳିଶିଟା ହାତୀର ଓଜନ ସଙ୍ଗେ ସମାନ ହେବ । ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଯେଉଁ ତିମିଟି ଧରାଯାଇଛି, ତାହା ଲମ୍ବରେ ୩୩ମିଟର ବା ୭୪ ହାତ ଥିଲା; ଓଜନ ଥିଲା ୨୫୪ ମେଟ୍ରିକ ଟନ୍ ବା ୬,୭୨୩ ମହଣ ।

Image

 

ଗୋଟିଏ ସାଧାରଣ ପଚାଶ ଷାଠିଏ ହାତ ଲମ୍ବର ତିମି ଯେଉଁ ପିଲା ପ୍ରସବ କରେ, ଜନ୍ମ ସମୟରେ ତାହାର ଦେହ ସତର ଅଠର ହାତ ପର୍ଯ୍ୟନ୍ତ ଲମ୍ବ ହୋଇଥାଏ । ସେହି ତୁଳନାରେ ମୋଟା, ବିରାଟ ଶରୀର । ସେତେବେଳେ ତା ଦେହର ଓଜନ ଥାଏ ଆଠ ଟନ୍ ବା ପ୍ରାୟ ଦୁଇଶହ ମହଣ । ଜନ୍ମ ସମୟରେ ଯାହାର ଆକାର ଏପରି, ଯୌବନରେ ସେ କଅଣ ନ ହେବ ?

 

ଗୋଟିଏ ମଧ୍ୟବୟସର ତିମି ପାଟି ମେଲାକଲେ ଦୁଇ ଓଠ ମଧ୍ୟରେ ବାର ଚଉଦ ହାତ ଫାଙ୍କ ରହିଯିବ । ପାଟି ତ ନୁହେଁ, ପର୍ବତ ଗୁମ୍ଫା । ସେ ପାଟି ଭିତରେ ଗୋଟାଏ ବଡ଼ ହାତୀ ଅକ୍ଳେଶରେ ଠିଆ ହୋଇ ରହିପାରିବ କିମ୍ବା ଯାଆସ କରିପାରିବ । ଏହି ତିମି ପ୍ରଶାନ୍ତ ମହାସାଗର ଓ ଆଟ୍‍ଲାଣ୍ଟିକ୍‌ ମହାସାଗରରେ ବହୁ ପରିମାଣରେ ବାସ କରନ୍ତି ।

 

ଦନ୍ତହୀନ ତିମିର ପାଟି ଭିତରେ ଗୋଟାଏ ସରୁ ଚମଡ଼ାର ଜାଲି ରହିଥାଏ । ମୁଣ୍ଡ ଉପରେ ଦୁଇଟା ଛିଦ୍ର । ସେ ପାଣିରେ ପହଁରି ବୁଲୁଥିବା ବେଳେ ତା ପାଟି ମେଲା କରି ରଖିଥାଏ । ସେତେବେଳେ ବହୁ ପରିମାଣ ପାଣି ତା ପାଟି ଭିତରକୁ ପଶିଯାଏ । ନଈବଢ଼ି ସମୟରେ ହଠାତ୍ ବନ୍ଧ ଭାଙ୍ଗିଗଲେ ଯେପରି ପାଣିର ସୁଅ ପଡ଼ିଯାଏ, ତିମି ପାଟିରେ ପାଣି ପଶିଲାବେଳେ ସେହିପରି ଜଣାଯାଏ । ପ୍ରତି ମୁହୁର୍ତ୍ତରେ ତିମି ତା ପାଟି ବନ୍ଦ କରି ଦେଉଥାଏ । ସେତେବେଳେ ପାଟି ଭିତରେ ଥିବା ପାଣିତକ ମୁଣ୍ଡ ଉପର ଛିଦ୍ର ଦେଇ ପିଚ୍‌କାରି ମାରିଲା ପରି ଉପରକୁ ଉଠିଆସେ । ଦୂରରୁ ଜଣାଯାଏ, ସତେ ଯେପରି ଗୋଟାଏ ଝରଣାରୁ ପାଣି ଉପରକୁ ଉଠିଯାଉଛି କିମ୍ବା ପାଣିର ଘଡ଼ିବାଣ ମାରୁଛି ।

Image

 

ପାଟି ଭିତରେ ପାଣି ପଶିଗଲାବେଳେ ସେଥିରେ ଖେଳି ବୁଲୁଥିବା ଛୋଟଛୋଟ ମାଛ, ବେଙ୍ଗଫୁଲା, ପୋକଯୋକ ଆଦି ପାଟି ଭିତରକୁ ଚାଲିଯାଆନ୍ତି । ତିମି ପାଟି ବନ୍ଦ କରିଦେଲେ ପାଣିସବୁ ତ ବାହାରି ଆସେ; ଯେଉଁ ଚୋଟ ମାଛ ବା ପୋକଯୋକ ଥାଆନ୍ତି, ସେଗୁଡ଼ିକ ଜାଲିରେ ଲାଖି ପାଟି ଭିତରେ ରହିଯାଆନ୍ତି । ତିମି ସେହିମାନଙ୍କୁ ଖାଇ ବଞ୍ଚେ । ସେ ଏଡ଼େ ବିରାଟ ଦେହେ ଓ ପର୍ବତ ଗୁମ୍ଫା ଭଳି ପାଟି ବହିଥିଲେ ମଧ୍ୟ ତା ତଣ୍ଟିର କଣା ଅତି ସାନ, ପୁଣି ଚମ ଜାଲିରେ ତାହା ଘୋଡ଼ାଇ ହୋଇ ରହିଥାଏ । ସେହି କାରଣରୁ ବଡ଼ ମାଛ କି ସାମାନ୍ୟ ମୋଟା ଜୀବଜନ୍ତୁ, ଏପରିକି ଚାଖଣ୍ଡେ ଲମ୍ବର ମାଛ ବି ସେ ଖାଇପାରେ ନାହିଁ । କେବଳ ଛୋଟଛୋଟ ମାଛ, ମାଛଯାଆଁଳ, ପୋକଯୋକ, ସମୁଦ୍ରପାଣିରେ ଭାସୁଥିବା ଦଳ, ଘାସପତ୍ର ଆଦି ତାର ଏକମାତ୍ର ଖାଦ୍ୟ । ଏହି ଖାଦ୍ୟ ଖାଇ ସେ ବଞ୍ଚେ ଓ ତାହାର ବିଶାଳ ଦେହ ଗଠନ କରେ ।

 

 

ବୋତଲ ବେକ ପରି ସରୁ ତଣ୍ଟି ପରେ ତିମିର ପ୍ରକାଣ୍ଡ ପେଟ । ତାହା ଗୋଟାଏ ଲମ୍ବା ହଲ୍ ଘରର ଭିତର ବା ଛୋଟ ହ୍ରଦ ପରି ବୋଧହେବ । ସେହି ପେଟ ଭିତରେ ମନୁଷ୍ୟ ବା କି ଛାର-! ଦୁଇ ତିନିଟା ହାତୀ ଅକ୍ଳେଶରେ ଚାଲବୁଲ କରିପାରିବେ ।

 

ଦନ୍ତହୀନ ତିମିର ପାଟି ଉପର ପାଖ ସରୁ ଓ ତଳ ପାଖ ମୋଟା । ଏମାନଙ୍କ ଆଖି ଅତି ସାନ । କାନ ଆଦୌ ପଦାକୁ ଦେଖାଯାଏ ନାହିଁ ।

 

ଭାରତ ମହାସାଗରରେ ଗୋଟାଏ ପ୍ରକାର ଦନ୍ତହୀନ ତିମି ଦେଖାଯାଆନ୍ତି, ସେମାନଙ୍କ ମୁହଁ ଛୋଟ ଓ ସରୁ । ଏମାନେ ସବୁଠାରୁ ବେଶି ଲମ୍ବା ହୋଇଥାଆନ୍ତି । ଏହି ଶ୍ରେଣୀର ସାଧାରଣ ତିମିର ଦେହ ୬୦ ହାତରୁ ୬୫ ହାତ ପର୍ଯ୍ୟନ୍ତ ଲମ୍ବ ହୋଇଥାଏ । ପ୍ରଶାନ୍ତ ମହାସାଗରରେ ତିମି ଅପେକ୍ଷା ଏହାର ଦେହଟା ଟିକିଏ ସରୁ । ଏହି ଜାତୀୟ ତିମିକୁ ଇଂରାଜୀରେ ‘ରୋର୍ କୟାଲ’ କୁହାଯାଏ ।

Image

(ଭାରତ ମହାସାଗରର ତିମି)

 

ଏମାନଙ୍କ ବ୍ୟତୀତ ଆକାର ଓ ଦେହର ଗଢ଼ଣ ଅନୁସାରେ ଆଉ କେତେ ଜାତିର ତିମି ବି ଅଛନ୍ତି । ଯଥା—ବାମନ ତିମି, ସିଧାପିଠି ତିମି, ନୀଳବର୍ଣ୍ଣ ତିମି ।

 

Image

(ସିଧାପିଠି ତିମି)

(ବାମନ ତିମି)

 

ସିଧାପିଠି ତିମି ପଚାଶ ହାତ ପର୍ଯ୍ୟନ୍ତ ବଢ଼େ । ଏହାର ଗାଲି ସାନ; ଦେହ ଚିକ୍‍କଣ ।

 

ବାମନ ତିମି ତିମିଜାତି ଭିତରେ ସବୁଠାରୁ ସାନ । ଏମାନଙ୍କ ଦେହ ତିରିଶ ହାତ ପର୍ଯ୍ୟନ୍ତ ଲମ୍ବା । ପିଠି ପାଖଟା ସିଧା ଓ ପେଟ ପାଖ ଅର୍ଦ୍ଧବୃତ୍ତ ପରି ଓହଳି ପଡ଼ିଥାଏ । ଏମାନଙ୍କ ଗାଲି ବଡ଼ ଓ ଲମ୍ବା ।

 

Image

(ନୀଳବର୍ଣ୍ଣ ତିମି)

 

ନୀଳବର୍ଣ୍ଣ ତିମି ସବୁ ତିମିଙ୍କଠାରୁ ବେଶି ଲମ୍ବା ଓ ବଡ଼ । ଏହାର ଦେହ ଅତି ଚିକ୍‍କଣ ଓ ରଙ୍ଗ ଈଷତ୍ ନୀଳବର୍ଣ୍ଣ । ତେଣୁ ଏହାର ଏପରି ନାମ ହୋଇଛି ।

 

—୩—

 

ଦାନ୍ତ ଥିବା ତିମି ସାଧାରଣତଃ ଦୁଇ ଜାତିର । ଗୋଟିଏ କାଠଗଡ଼ମୁହାଁ ତିମି ଓ ଅନ୍ୟଟି ସମୁଦ୍ର—ବାଘ ।

 

କାଠଗଡ଼ମୁହାଁ ତିମିର ମୁଣ୍ଡ ଗୋଟାଏ ମୋଟା କାଠଗଡ଼ ପରି ଦେଖାଯାଏ । ଏହି ମୁଣ୍ଡ ତାହାର ସମଗ୍ର ଦେହର ତିନିଭାଗରୁ ଏକ ଭାଗ ହେବ । ଏହି ତିମି ଯେପରି ଭୀଷଣ, ସେହିପରି କୁତ୍ସିତ ଦେଖାଯାଏ ।

Image

 

ଏହି ଦାନ୍ତ ଥିବା ତିମିମାନଙ୍କ ପାଟି ଭିତର ଜାଲି ନ ଥାଏ । ତେଣୁ ସେମାନେ ବଡ଼ ବଡ଼ ଜୀବଜନ୍ତୁଙ୍କୁ ଖାଇପାରନ୍ତି ବା ଅବାଧରେ ଗିଳି ଦିଅନ୍ତି । ସମୁଦ୍ରର ବଡ଼ ମାଛ ଏମାନଙ୍କର ପ୍ରଧାନ ଖାଦ୍ୟ ।

 

କାଠଗଡ଼ମୁହାଁ ତିମି ପାଟିର ଉପର ପାଖ ଖୁବ୍ ମୋଟା ଓ ତଳପାଖ ଅତି ସରୁ । ଦାନ୍ତ ନ ଥିବା ତିମି ମୁହଁର ଠିକ୍ ବିପରୀତ । ଏମାନଙ୍କ ମୁହଁର ଦୁଇ ପାଟିରେ ମୁନିଆଁ ଓ ଟାଣ ଦାନ୍ତ ପୂରି ରହିଥାଏ । ଗୋଟିଏ ଗୋଟିଏ ଦାନ୍ତ ପଚିଶରୁ ତିରିଶ ସେ.ମି. ପର୍ଯ୍ୟନ୍ତ ଉଚ୍ଚ । ଏହା ଏତେ ମୁନିଆଁ ଯେ ଦୁଇପାଖ ଦାନ୍ତର ଚାପା ପାଇଲେ ଶୁଖିଲା ମୁଣ୍ଡିଆ କାଠ ବି କଣା ହୋଇଯିବ ।

 

ଏହି ତିମି ସାଧାରଣତଃ ୪୦ ବା ୪୫ ହାତ ପର୍ଯ୍ୟନ୍ତ ଲମ୍ବା ହୁଏ । ଅନ୍ୟ ତିମି ଅପେକ୍ଷା ଏହାର ଦେହ ବେଶି ମୋଟା ଓ ଦେହରେ ଚର୍ବି ଅତି ଅଧିକପରିମାଣରେ ଥାଏ, ଚମତଳେ ପ୍ରାୟ ତିରିଶ ସେ.ମି. ବହଳର ଚର୍ବି ମାଂସ ଉପରେ ବୋଳିହୋଇ ରହିଥାଏ । ଗୋଟିଏ ଚାଳିଶ ହାତ ଲମ୍ବ ତିମି ଦେହରୁ ୨୮୦ ପିମ୍ପା ତେଲ ଓ ଚବିଶ ପିମ୍ପା ମହମ ବାହାରିଥିଲା । ଗୋଟିଏ ପିମ୍ପାରେ ପ୍ରାୟ ଦେଢ଼ କୁଇଣ୍ଟାଲ ବା ତିନିମହଣ ଛଅସେର ଜିନିଷ ଧରେ । ଏଇ ହିସାବରୁ ଅନୁମାନ କରିହେବ, ଏ ତିମି ଦେହରେ କେତେ ପରିମାଣ ଚର୍ବି ଥାଏ ।

Image

(ସମୁଦ୍ରର ବାଘ)

(କାଠଗଡ଼ିମୁଦା ତିମି)

 

ସମୁଦ୍ର ବାଘ ଅପେକ୍ଷାକୃତ ସାନ ହେଲେ କଅଣ ହେବ, ତିମିଙ୍କ ଭିତରେ ସବୁଠାରୁ ବେଶି ହିଂସ୍ର ଓ ନିଷ୍ଠୁର । ଏହା କୋଡ଼ିଏ ହାତ ପର୍ଯ୍ୟନ୍ତ ଲମ୍ବା ହୁଏ । ଏହାର ବିଶେଷତ୍ୱ, ଏହା ପିଠି ଉପରେ ପଶୁଙ୍କ ଶିଙ୍ଘପରି ଗୋଟାଏ ମୁନିଆଁ ଟାଣ ମାଂସ ଠିଆ ହୋଇ ରହିଥାଏ । ଏହି ତିମି କୌଣସି କାରଣ ଥାଉ ବା ନ ଥାଉ ମନୁଷ୍ୟ କି ଯେଉଁ ଜୀବଜନ୍ତୁଙ୍କୁ ଆଗରେ ଦେଖେ, ତାଙ୍କ ଉପରେ ଆକ୍ରମଣ କରେ । କୌଣସି ପ୍ରକାର ବିପଦକୁ ତାହାର ଭୟ ନ ଥାଏ କି ଯୁଦ୍ଧରୁ କେବେ ପଛଘୁଞ୍ଚା ଦେବା ତାହାର ସ୍ୱଭାବ ନୁହେଁ । ତେବେ ଆଘାତ ପାଇଲେ ବି ସେ ତା ସ୍ଥାନରେ ରହି ପ୍ରତିଆକ୍ରମଣ ଚଳାଇଥାଏ । ଏହି କାରଣରୁ ଏହାର ନାମ ସମୁଦ୍ରର ବାଘ ଦିଆଯାଇଛି । ତିମି ଯୋଗେ ସମୁଦ୍ରରେ ଯେତେ ମନୁଷ୍ୟ କି ପ୍ରାଣୀ ଜୀବନ ଦିଅନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଏହି ସମୁଦ୍ର ବାଘର କବଳରେ ପଡ଼ି ମରିଥାଆନ୍ତି ।

 

—୪—

 

ତିମି ଜଳଜନ୍ତୁ ହେଲେ ମଧ୍ୟ ପାଣି ଭିତରେ ବେଶି ସମୟ ରହିପାରେ ନାହିଁ । ଅବଶ୍ୟ ଏମାନେ ସମୁଦ୍ରର ଦୁଇଶ ମିଟରଠାରୁ ତିନିଶ ମିଟର ପର୍ଯ୍ୟନ୍ତ ଗଭୀର ପାଣିରେ ସାଧାରଣତଃ ଘୂରି ବୁଲୁଥାନ୍ତି । ମାତ୍ର ପ୍ରତି ଅଧଘଣ୍ଟାରେ ଅନ୍ତତଃ ଥରେ ପାଣି ଉପରକୁ ଉଠିଆସି ନିଃଶ୍ୱାସ ମାରନ୍ତି । ସେତେବେଳେ ତାଙ୍କ ମୁଣ୍ଡ ଉପରୁ ଯେଉଁ ପାଣିଝର ଖୁବ୍ ଉଚ୍ଚକୁ ଉଠି ଖେଳେଇ ହୋଇ ପଡ଼ିଯାଏ, ତାହା ଦେଖିଲେ ଯେ କେହି ଲୋକ ଚମକି ଉଠିବ । ଏକାଠି ଶହ ଶହ ତିମି ଉପରେ ଭାସିଉଠି ଏହିପରି ପାଣି ଫୁକାର ଛାଡ଼ିଲେ, ସମୁଦ୍ରର ମାଇଲ ମାଇଲ ଧରି ଅଞ୍ଚଳରେ ପାଣିର ସ୍ତମ୍ଭମାନ ଉପରକୁ ଉଠିଯାଉଥିବାର ବୋଧହେବ । ନିଃଶ୍ୱାସ ନେଇ ସାରିଲା ପରେ ପୁଣି ତିମି ସମୁଦ୍ରର ଗଭୀର ତଳକୁ ଚାଲିଯାଏ । ଏହିପରି ସେ ଅନବରତ ତଳ ଉପର ହେଉଥାଏ ।

 

ସ୍ଥଳଭାଗରେ ବାସ କରୁଥିବା ଜନ୍ତୁଙ୍କ ଫୁସ୍‍ଫୁସ୍ ପରି ତିମିର ଫୁସ୍‌ଫୁସ୍ । ସେ ପାଣି ଉପରକୁ ଉଠି ମୁକ୍ତବାୟୁର ନିଃଶ୍ୱାସ ନିଏ । ତଥାପି ଶୁଖିଲାରେ ଆଣି ଛାଡ଼ିଦେଲେ ତିମି ବେଶି ସମୟ ବଞ୍ଚି ରହିପାରେ ନାହିଁ । ମାଛ ଯେପରି ଶୁଖିଲାରେ ମରିଯାଆନ୍ତି, ସେ ସେହିପରି ମରିଯାଏ-

 

ପଣ୍ଡିତମାନେ କହନ୍ତି, ତିମିର ଦେହର ଆକାର ଓ ଓଜନ ତୁଳନାରେ ତାର ଫୁସ୍‍ଫୁସ୍ କ୍ଷୁଦ୍ର ଓ ଅଳ୍ପ ଶକ୍ତିଶାଳୀ । ପାଣି ଭିତର ଭାରି ଦ୍ରବ୍ୟ ଉଶ୍ୱାସ ଲାଗେ । ତିମି ପାଣିରେ ଭାସି ବୁଲୁଥିଲା ବେଳେ ତା ଦେହର ଓଜନ ଓ ଚାପ କମ୍‍ ବୋଧ ହେଉଥିବାରୁ ଫୁସ୍‍ଫୁସ୍‍ ତାହା ସମ୍ଭାଳି ନିଏ । ମାତ୍ର ଶୁଖିଲାକୁ ଆସିଗଲେ ତା ଦେହର ଓଜନ ଅତି ବେଶି ହୋଇପଡ଼େ; ଫୁସ୍‍ଫୁସ୍‍ ତାହା ସହ୍ୟ କରିପାରେ ନାହିଁ; ତେଣୁ ହୃଦ୍‍ଯନ୍ତ୍ରକ୍ରିୟା ଅଳ୍ପସମୟ ମଧ୍ୟରେ ବନ୍ଦ ହୋଇଯାଏ ଓ ତିମି ମରିଯାଏ ।

 

—୫—

 

ତିମିର ପରମାୟୁ ବେଶି ନୁହେଁ । ଗୋଟିଏ ଗୋଟିଏ ତିମି ଶହେ ବର୍ଷରୁ ବେଶି ସମୟ ବଞ୍ଚନ୍ତି ବୋଲି ଆଗେ ଲୋକଙ୍କର ବିଶ୍ୱାସ ଥିଲା । ମାତ୍ର ଏବେ ପରୀକ୍ଷା କରି ଦେଖାଯାଉଛି ଯେ, ଏମାନଙ୍କ ପରାମାୟୁ କୋଡ଼ିଏ ବର୍ଷରୁ ବେଶି ନୁହେଁ । କାଠମୁହାଁ ତିମିର ପରମାୟୁ ତ ଏହା ଅପେକ୍ଷା କମ୍ । କାଳକ୍ରମେ ସମୁଦ୍ରରୁ ତିମି ଶେଷ ହୋଇ ଆସିବାରୁ କେତେକ ଅଞ୍ଚଳରେ ତିମି ଶିକାର କରିବାରେ କଡ଼ା କଟକଣା ଜାରି ହୋଇଛି । କାରଣ, ଶିକାରୀମାନେ ଅତ୍ୟଧିକ ପରିମାଣରେ ତିମି ମାରିପକାଉ ଥିବାରୁ ସେମାନଙ୍କ ବଂଶ ଲୋପ ପାଇଯିବାକୁ ବସିଲାଣି ।

 

ଲୋକେ କାହିଁକି ଏତେ ପରିମାଣରେ ତିମି ମାରନ୍ତି ?

 

ବର୍ତ୍ତମାନ ସମୟକୁ ବିଦ୍ୟୁତ୍ ଯୁଗ କୁହାଯାଉଅଛି । ବିଜୁଳି ଆଲୁଅ ସବୁ ଦେଶରେ ବ୍ୟାପିଗଲାଣି । ଏହା ପୂର୍ବରୁ ପେଟ୍ରୋଲ ବା କେରୋସିନର ଯୁଗ ଥିଲା । ମାତ୍ର ଶହେ ବର୍ଷ ତଳେ ବିଦ୍ୟୁତ ବା ପେଟ୍ରୋଲ କଥା ଲୋକଙ୍କୁ ଭଲରୂପେ ଜଣା ନ ଥିଲା । ସେତେବେଳେ ମହମବତୀ ଇଉରୋପ ଓ ଅନ୍ୟାନ୍ୟ ବହୁ ଦେଶରେ ଜଳି ଆଲୁଅ ଦେଉଥିଲା । ସେହି ମହମବତୀ ତିମି ଦେହର ଚର୍ବିରେ ହିଁ ତିଆରି ହୁଏ । ପ୍ରତ୍ୟେହ କୋଟି କୋଟି ସଂଖ୍ୟାରେ ମହମବତୀ ବିକ୍ରି ହୁଏ । ସେଥିପାଇଁ ଇଉରୋପର ବହୁ ଦେଶର ଲୋକେ ତିମି ଶିକାର କରୁଥିଲେ । ତିମି ଦେହରୁ ଚର୍ବି କାଢ଼ି ସେଥିରୁ ତେଲ ବାହାର କରିବା ଓ ମହମବତୀ ତିଆରି କରିବା ପାଇଁ ହଜାର ହଜାର କାରଖାନା ଚାଲୁଛି । ସେହି କାରଖାନା ସବୁକୁ ତିମି ଯୋଗାଇ ଶିକାରୀମାନେ ଯଥେଷ୍ଟ ଲାଭବାନ ହୋଇଛନ୍ତି ଓ ଏବେ ବି ହେଉଛନ୍ତି ।

 

ଆଜିକାଲି ମହମବତୀର ଚାହିଦା ପୂର୍ବ ଅପେକ୍ଷା କମି ଯାଇଛି ସତ; ମାତ୍ର ତିମି ଶିକାର କମି ନାହିଁ, ବରଂ ବଢ଼ିଛି । ତିମି ଦେହର ଚର୍ବିରେ ନାନା ପ୍ରକାର ଖାଇବା ତେଲ, ସୁବାସିତ ତେଲ, ସାବୁନ, ମଲମ, ଔଷଧ ଇତ୍ୟାଦି ତିଆରି ହେଉଛି । ଏସବୁ ଜିନିଷର ଚାହିଦା ଆଜିକାଲି ପୃଥିବୀରେ ବହୁତ ବେଶି । ତେଣୁ ତିମି ମାରି କାରଖାନାକୁ ଯୋଗାଇବା ଲାଗି ଇଉରୋପ ଓ ଆମେରିକାରେ ଲୋକଙ୍କ ଆଗ୍ରହ ଅଧିକ ବଢ଼ୁଛି । ନିକଟରେ ବର୍ଷକ ଭିତରେ କେବଳ ଦକ୍ଷିଣମେରୁ ପାଖଆଖ ସମୁଦ୍ରରୁ ଏତେ ତିମି ମରାଯାଇଥିଲେ ଯେ, ସେମାନଙ୍କ ଚର୍ବିରୁ ୨୧ଲକ୍ଷ ୫୮ହଜାର ୧୭୩ ପିମ୍ପା ତେଲ ସଂଗ୍ରହ କରାଯାଇଥିଲା । ସେହି ବର୍ଷ ବିଭିନ୍ନ ଶିକାରୀ ଦଳ ମିଶି ମୋଟ ୨୮ହଜାର ୮୨୧ଟା ତିମି ମାରିଥିଲେ ।

 

ଏବେ ଉତ୍ତର ଆମେରିକା, ଜାପାନ ଓ ଚୀନ ଦେଶର ଲୋକେ ତିମି ମାଂସ ଅନ୍ୟତମ ଖାଦ୍ୟରୂପେ ବ୍ୟବହାର କରୁଛନ୍ତି । ବଡ଼ଲୋକଙ୍କ ଭୋଜୀରେ ଏହା ବିଶେଷ ଭାବରେ ଲାଗୁଛି । ତେଣୁ ଏ ସବୁ ଦେଶର ବଡ଼ ବଡ଼ ସହରମାନଙ୍କରେ ଟିଣରେ ରଖାଯାଇଥିବା ତିମି ମାଂସ ବହୁ ପରିମାଣରେ ବିକ୍ରି ହୋଇଥାଏ ।

 

—୬—

 

ତିମି ଶିକାର ପାଇଁ ସ୍ୱତନ୍ତ୍ର ଜାହାଜ ଓ ବଡ଼ ବଡ଼ ଡଙ୍ଗା ତିଆରି ହୋଇଛି । ଶିକାରୀମାନେ ଦଳ ବାନ୍ଧି ସେହି ଜାହାଜ ବା ଡଙ୍ଗାରେ ବସି ତିମି ରହୁଥିବା ଅଞ୍ଚଳକୁ ଯାଆନ୍ତି । ସେମାନଙ୍କ ପାଖରେ ଟାଣ ଓ ମୁନିଆ ବର୍ଚ୍ଛାମାନ ରହିଥାଏ । ସେ ବର୍ଚ୍ଛାରେ ଅତି ଲମ୍ବା ଲୁହା ଜଞ୍ଜିର ଲାଗିଥାଏ ।

 

ଶିକାରୀମାନେ ସମୁଦ୍ରରେ ବୁଲି ତିମି ଖୋଜନ୍ତି । ଦୂରରେ ତିମି ଭାସି ଉଠିବାର ଦେଖିଲେ ଛୋଟ ଛୋଟ ଡଙ୍ଗାରେ ବସି ତା ଚାରିଆଡ଼େ ଖେଳାଇ ହୋଇଯାଆନ୍ତି । ତିମି ପୁଣି ଭାସି ଉଠିବା ସମୟକୁ ଅତି ସାବଧାନରେ ଅପେକ୍ଷା କରି ରହିଥାନ୍ତି । ତିମି ଆଉ ଥରେ ଭାସିଉଠିଲେ ଚାରିଦିଗରୁ ଅନ୍ତତଃ ଆଠ ଦଶଟା ବର୍ଚ୍ଛା ତା ଦେହକୁ ଲକ୍ଷ୍ୟ କରି ମରାଯାଏ । ଏକାବେଳକେ ଏତେଗୁଡ଼ାଏ ତୀକ୍ଷଣ୍ ବର୍ଚ୍ଛାର ଆଘାତ ପାଇ ସେ ସଙ୍ଗେ ସଙ୍ଗେ ସମୁଦ୍ର ତଳଦେଶକୁ ଚାଲିଯାଏ ଓ ଦ୍ରୁତ ବେଗରେ ଏଣେ ତେଣେ ଧାଇଁ ବୁଲେ । ସେତେବେଳେ ତା ଦେହରେ ରକ୍ତରେ ସମୁଦ୍ରର ସେ ଅଞ୍ଚଳଟା ଲାଲ ହୋଇଯାଏ ।

 

ତିମି ଦୂରକୁ ଦୂର ଯେତିକି ଯାଉଥାଏ, ଡଙ୍ଗାରେ ବସିଥିବା ଶିକାରୀମାନେ ବର୍ଚ୍ଛାରେ ଲାଗିଥିବା ଜଞ୍ଜିରକୁ ସେହି ପରିମାଣରେ ହୁଗୁଳା କରି ଦେଉଥାଆନ୍ତି । ତା ନ କରି ସେମାନେ ଜଞ୍ଜିର ଧରି ବସି ରହିଲେ, ତିମି ଦୂରକୁ ଚାଲିଯିବା ସେଙ୍ଗେ ସଙ୍ଗେ ଡଙ୍ଗା ଟାଣି ହୋଇ ଯାଇ ସମୁଦ୍ରପାଣିରେ ଲେଉଟି ପଡ଼ିବ ଓ ଶିକାରୀମାନେ ତିମି ମାରିବେ କଅଣ, ନିଜେ ବୁଡ଼ି ମରିଯିବେ; ନଚେତ୍ ଅସହ୍ୟ ଦୁଃଖକଷ୍ଟ ଭୋଗିବେ ।

 

ଆଠ ଦଶ ଗୋଟି ବର୍ଚ୍ଛା ମାଡ଼ରେ ଆଘାତ ପାଇଥିବା ଓ ବନ୍ଧନରେ ପଡ଼ିଥିବା ତିମି ବହୁ ସମୟ ଏଣେତେଣେ ବୁଲିଲାପରେ ତା ତେଜ କମିଯାଏ । ଏଣେ ବର୍ଚ୍ଛା ମାଡ଼, ତେଣେ ଦେହରୁ ଅପର୍ଯ୍ୟାପ୍ତ ପରିମାଣରେ ରକ୍ତ ଚାଲିଯାଏ । ତିମି କ୍ରମେ ଦୁର୍ବଳ ହୋଇପଡ଼େ ଓ ଆଉ ବୁଲି ନ ପାରି ନିର୍ଜୀବ ହୋଇ ପଡ଼ିରହେ । ଶିକାରୀମାନେ ସେତେବେଳେ ଏକ ସମୟରେ ସବୁ ଜଞ୍ଜିର ଟାଣି ତିମିକୁ ଜାହାଜ ପାଖକୁ ଘେନି ଆସନ୍ତି । ଜାହାଜ ସହିତ ଲମ୍ବା ଦଉଡ଼ା ବା ଜଞ୍ଜିରରେ ତାକୁ ବାନ୍ଧି ଦିଆଯାଏ । ଜାହାଜ କୂଳକୁ ଚାଲିଲେ ତା ସଙ୍ଗେ ସଙ୍ଗେ ମଲା ତିମି ଘୋଷାରି ହୋଇ ଆସେ ।

 

ତିମି ଦେହରେ ଏତେ ବଳ ଯେ, ସେ ନିଜର ଲାଞ ପିଟି ବଡ଼ ବଡ଼ ଜାହାଜ ଭାଙ୍ଗି ଚୂନା କରିଦେଇପାରିବ । କିମ୍ପା ଜାହାଜତଳେ ରହି ପିଠିକୁ ଏପରି ଭାବରେ ଟେକି ଦେବ ଯେ, ଶହ ଶହ ଯାତ୍ରୀ ସହ ଜାହାଜ ପାଣିରେ ଓଲଟି ପଡ଼ିବ । ଏହି ତିମି ଯୋଗେ ଅନେକ ଅତି ବଡ଼ ବଡ଼ ଜାହାଜ ଭାଙ୍ଗିଛି ଓ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ।

 

ଆଜିକାଲି ତିମି ଶିକାର କରିବା ଲାଗି ସ୍ୱତନ୍ତ୍ର ଜାହାଜ ଓ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ତିଆରି ହେଲାଣି । ସେଇ ଜାହାଜରେ ତିମି ଦେହ କାଟିବା, ମାଂସ ରାନ୍ଧି ତେଲ ବାହାର କରିବା ଇତ୍ୟାଦି କାମ ପାଇଁ କାରଖାନା ରହିଛି । ତିମି ଉପରକୁ ବର୍ଚ୍ଛା ବା ତୀର ମାରିବାପାଇଁ ଗୋଟାଏ ପ୍ରକାର ବନ୍ଧୁକ ବ୍ୟବହୃତ ହେଉଛି । ବନ୍ଧୁକ ଫୁଟାଇଲେ ସେଥିରୁ ଗୁଳି ଅତି ଜୋରରେ ଯାଇ ଶିକାର ଦେହ ଫୁଟାଇଦିଏ । ସେହିପରି ଏ ବନ୍ଧୁକ ଫୁଟାଇଲେ ସେଥିରୁ ଦୁଇ ମିଟର ଲମ୍ବର ତୀର ବର୍ଚ୍ଛା ଯାଇ ତିମି ଦେହରେ ଫୁଟିଯାଏ । ବର୍ଚ୍ଛାକୁ ଆଉ ହାତରେ ଫିଙ୍ଗିବାକୁ ପଡ଼େନାହିଁ । ଏହାଦ୍ୱାରା ତିମି ନିଶ୍ଚୟ ଆଘାତ ପାଏ ଏବଂ ଅଳ୍ପ ସମୟ ଓ ପରିଶ୍ରମରେ କାମ ହାସଲ ହୋଇଯାଏ ।

 

—୭—

 

୧୮୯୧ ମସିହା ଫେବୃଆରୀ ମାସ । ଇଂଲଣ୍ଡର ଗୋଟିଏ ତିମି ଶିକାରୀଦଳ ଜାହାଜରେ ବସି ତିମି ମାରିବାକୁ ଗଲେ । ବହୁ ଦୂର ଗଲା ପରେ ତିମି ରହୁଥିବା ଅଞ୍ଚଳରେ ଜାହାଜ ଲଙ୍ଗର କରାଗଲା । ଜାହାଜ ସହିତ ଦୁଇଟି ବୋଟ ବନ୍ଧା ହୋଇଥିଲା । ସେହି ବୋଟରେ ବସି ଦୁଇ ଦଳ ଶିକାରୀ ତିମି ଖୋଜିବାକୁ ବାହାରିଲେ ।

 

ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଗୋଟାଏ ବଡ଼ ତିମି ଉପରକୁ ଉଠିଥିବାର ଦେଖାଗଲା । ଡଙ୍ଗା ଦୁଇଟି ତୀରବେଗରେ ସେଠାକୁ ଯାଇ ଦୁଇ ଦିଗରୁ ତିମିକୁ ଘେରିଗଲେ । ଗୋଟିଏ ଡଙ୍ଗାର ଶିକାରୀ ସଙ୍ଗେସଙ୍ଗେ ତା ଦେହକୁ ବର୍ଚ୍ଛା ଫିଙ୍ଗିଲେ । ବର୍ଚ୍ଛାଟି ତିମି ଦେହରେ ଫୁଟିଯିବା ମାତ୍ରକେ ଆଖି ପିଛୁଳାକେ ସମୁଦ୍ରରେ ମହାପ୍ରଳୟ ଘଟିଗଲା । ଅନ୍ୟ ଡଙ୍ଗାରୁ ବର୍ଚ୍ଛା ମାରିବାକୁ ଆଉ ଅବସର ମିଳିଲା ନାହିଁ ।

 

ତିମି ବର୍ଚ୍ଛାମାଡ଼ ଖାଇ ଅତି ଭୟଙ୍କର ହୋଇଉଠିଲା । ସେ ତାର ଦୀର୍ଘ ଲାଞ୍ଜ ଏତେ ଜୋରରେ ପିଟିଦେଲା ଯେ, ଅନ୍ୟ ଡଙ୍ଗାଟି ଏକାବେଳକେ ଓଲଟିଗଲା । ତିମି ପାଣି ଭିତରେ ଅଦୃଶ୍ୟ ହୋଇଗଲା । ସମୁଦ୍ରରେ ପ୍ରବଳ ବେଗରେ ଲହଡ଼ୀ ଖେଳିଗଲା । ଓଲଟି ପଡ଼ିଥିବା ଡଙ୍ଗାରେ ଯେଉଁ ଶିକାରୀ ତିନିଜଣ ଥିଲେ, ସେମାନେ କିଏ କୁଆଡ଼େ ଗଲେ, ତାର ପତ୍ତା ମିଳିଲା ନାହିଁ ।

 

ଯେଉଁ ଡଙ୍ଗାରୁ ବର୍ଚ୍ଛାମରା ହୋଇଥିଲା, ସେ ଡଙ୍ଗାରେ ପାଞ୍ଚଜଣ ଶିକାରୀ ଥିଲେ । ସେମାନଙ୍କ ଆଖି ଆଗରେ ତିନିଜଣ ସାଥି ନିମିଷକ ମଧ୍ୟରେ ଅତଳ ପାଣିରେ ସମାଧି ଲଭିଲେ । ଏହା ଦେଖି ସେମାନଙ୍କ ସାହସ ଓ ଉତ୍ସାହ କମିଗଲା, ମନ ଦବିଗଲା । ସାଥୀମାନଙ୍କ ଦୁର୍ଦ୍ଦଶାରେ ହୃଦୟ ବ୍ୟଥିତ ହୋଇଉଠିଲା ।

 

ମାତ୍ର ତାହା ଅଳ୍ପ ସମୟ ପାଇଁ । ଚାରିଆଡ଼କୁ ଆଖି ବୁଲାଉ ବୁଲାଉ ଦେଖାଗଲା, ସେହି ତିମିଟି ପ୍ରାୟ ଦେଢ଼କିଲୋମିଟର ଦୂରରେ ପାଣି ଉପରେ ଭାସୁଛି । ବର୍ଚ୍ଛାର ତୀକ୍ଷ୍ଣ ମୁନରେ ତା ଦେହ ଯେ ଫୁଟିଯାଇଥିଲା, ସେଥିରୁ ରକ୍ତ ବାହାରି ସେଠାର ପାଣିକୁ ଲାଲ କରିଦେଇଛି ।

 

ଡଙ୍ଗାଟି ପୁଣି ସେହି ତିମି ଆଡ଼କୁ ଯାତ୍ରାକଲା । ଯାହାଲାଗି ତାଙ୍କର ତିନି ଜଣ ସାଥୀ ପ୍ରାଣ ଦେଇଛନ୍ତି, ତାକୁ ଜୀବନରେ ରଖି ଛାଡ଼ି ଦେଇଯିବା ଉଚିତ୍ ନୁହେଁ । ପୁଣି ଗୋଟିଏ ତିମିରୁ ଯାହା ଲାଭ ହେବ, ତାହା କିଛି କମ ନୁହେଁ । ସେହି ଅର୍ଥ କେତେକ ପରିମାଣରେ ବନ୍ଧୁମାନଙ୍କ ବିୟୋଗ ଦୁଃଖ ଲାଘବ କରିଦେବ ।

 

ପ୍ରାୟ ଚବିଶ ଘଣ୍ଟା ଧରି ଧସ୍ତାଧସ୍ତି ପରେ ସେମାନଙ୍କ ମନର କାମନା ପୂରଣ ହେଲା, ତିମି ମଲା । ସେମାନଙ୍କ ସେହି ବିରାଟ ମୃତ ଦେହକୁ ବହୁ କଷ୍ଟରେ ଜାହାଜ ପାଖକୁ ଆଣିଲେ ଏବଂ ସମସ୍ତେ ଲାଗିପଡ଼ି ତାକୁ ଜାହାଜ ଉପରକୁ ଉଠାଇଲେ । ସେଠାରେ ମାପିବାରୁ ଦେଖାଗଲା ଯେ, ଏହି ବିରାଟ ଜନ୍ତୁର ଦେହ ୨୦ ମିଟର ଲମ୍ବ । ଯେଉଁ ଲାଞ୍ଜ ପିଟି ସେ ଏତେ ବଡ଼ ଡଙ୍ଗାଟାଏ କ୍ଷଣକ ମଧ୍ୟରେ ପାଣିରେ ବୁଡ଼ାଇଦେଲା, ସେ ଲାଞ୍ଜର ଓସାର ପ୍ରାୟ ତିନିମିଟର ।

 

ଶିକାରୀମାନେ କ୍ଳାନ୍ତ ହୋଇପଡ଼ିଥିଲେ । ତିମିଟାକୁ ଜାହାଜ ଉପରେ ସେ ଦିନକ ପାଇଁ ସେହିପରି ରଖିଦେବାର କଥା ହେଲା । ପରଦିନ ସକାଳୁ ତା ପେଟ ଚିରା ହେବ ଓ ଦେହରୁ ଚମ, ମାଂସ ଅଲଗା କରାଯିବ ।

 

ମାତ୍ର କେଜାଣି କାହିଁକି ଜାହାଜର କାପଟେନ ଏଥିରେ ରାଜି ହେଲେ ନାହିଁ । ସେ ନିର୍ଦ୍ଦେଶ ଦେଲେ, ବର୍ତ୍ତମାନ ଏହାକୁ କାଟ ଓ ମାଂସରୁ ଚମଡ଼ା ଛାଲିଦିଅ ।

 

ତାହା ହିଁ ହେଲା । ତିମିର ପେଟ ଚିରିବାକୁ ଦୁଇଜଣ ଲୋକ ଲାଗିଲେ, ବେକପାଖରୁ ଦୁଇ ତିନି ମିଟର ପର୍ଯ୍ୟନ୍ତ ଚିରା ହୋଇଗଲା ପରେ ସେମାନଙ୍କୁ ଜଣାଗଲା, ସେ ପେଟ ଭିତରେ କିଛି ଚହଲି ଯାଉଛି । ଗୋଳିଆ ପାଣି ଭିତରେ ଦରମଲା ମାଛଟିଏ ଛଟପଟ ହେଲେ ଉପରକୁ ଯେପରି ଜଣାପଡ଼ିବ, ଏଠାରେ ସେହି ପରି ବୋଧ ହେଉଛି । ସେମାନେ ଭାବିଲେ, ତିମି ମରିବା ପୂର୍ବରୁ ସାର୍କ ବା ସେଇଭଳି ଗୋଟାଏ ବଡ଼ ମାଛ ଗିଳିଥିଲା । ତାହା ହଜମ ହୋଇନାହିଁ–ବୋଧହୁଏ ବଞ୍ଚି ରହିଛି । ତାକୁ ଜୀଇଁଥିବା ଅବସ୍ଥାରେ କାଢ଼ିବାକୁ ହେବ । ତେଣୁ ସେମାନେ ଅତି ସାବଧାନରେ ତିମି ପେଟ ଚିରିବାକୁ ଲାଗିଲେ ।

 

ବହୁ ଅଂଶ ଚିରା ହୋଇଗଲା ପରେ ଯାହା ଦେଖାଗଲା, ସେଥିରେ ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ । ପେଟ ଭିତରେ ସାର୍କ ନାହିଁ କି କୌଣସି ଜନ୍ତୁ ନାହିଁ । ଶୋଇ ରହିଛି ସେମାନଙ୍କ ବନ୍ଧୁ ବଡ଼ ଶିକାରୀ ଜେମସ୍ ବାଟଲେ । ଦେହ ଅକ୍ଷତ; କିନ୍ତୁ ବିବର୍ଣ୍ଣ ଜୀବନ ଅଛି; ମାତ୍ର ଚେତନା ନାହିଁ । ବଡ଼ ସାବଧାନରେ ଜେମସ୍ ବାଟଲେଙ୍କ ଅଚଳ ଦେହକୁ ସେଠାରୁ ପଦାକୁ ଅଣାଗଲା ।

 

ସଙ୍ଗେ ସଙ୍ଗେ କାପଟେନ ଓ ଜାହାଜର ଡାକ୍ତର ଦଉଡ଼ି ଆସିଲେ । ସେମାନେ ଜେମସ୍ ବାଟଲେଙ୍କ ଦେହରେ ଲାଗିଥିବା ଅପର୍ଯ୍ୟାପ୍ତ ଲାଳ ପୋଛି ପକାଇ ତାଙ୍କର ସେବା ଶୁଶ୍ରୁଷା କଲେ । ଅନବରତ ଚିକିତ୍ସା ଫଳରେ ଦିନକ ପରେ ଜେମସ୍ ଚେତା ହୋଇ ଆଖି ଖୋଲିଲେ । ମାତ୍ର ତାଙ୍କର ପୂରା ଜ୍ଞାନ ଆସିବାକୁ ପୂରା ଗୋଟିଏ ସପ୍ତାହ ଲାଗିଥିଲା ।

 

ସମ୍ପୂର୍ଣ୍ଣ ସୁସ୍ଥ ହୋଲାପରେ ଜେମସ୍‍ଙ୍କର ପୂର୍ବକଥାମାନ ମନେ ପଡ଼ିଗଲା । ସମୁଦ୍ରରେ ଡଙ୍ଗା ବୁଡ଼ିବାଠାରୁ ତିମିର ପେଟ ଚିରା ହେବାଯାଏ ତିରିଶ ଘଣ୍ଟା ସମୟ କଟିଥିଲା । ଏହି ତିରିଶ ଘଣ୍ଟା ସେ କିପରି କଟାଇଛନ୍ତି, ତାହା ସେ ବର୍ଣ୍ଣନା କଲେ ।

 

ସେ କହିଲେ, “ପ୍ରଥମେ ତିମିଟିକୁ ଦେଖି ମୋର ଖୁବ୍ ଆନନ୍ଦ ହେଲା । ଅନ୍ୟ ଡଙ୍ଗାରୁ ଯେତେବେଳେ ତା ଉପରକୁ ବର୍ଚ୍ଛା ମରାଗଲା, ସେତେବେଳକୁ ମୁଁ ମୋ ବର୍ଚ୍ଛା ମାରିବାକୁ ପ୍ରସ୍ତୁତ ହେଉଥିଲି । ଏକ ସମୟରେ ଦୁଇଟିଯାକ ବର୍ଚ୍ଛା ମରାଯାଇଥିଲେ, ସେ କେତେକାଂଶରେ କାବୁ ହୋଇପଡ଼ିଥାନ୍ତା । ମାତ୍ର ମୁହୂର୍ତ୍ତକ ମଧ୍ୟରେ ତା ଲାଞ୍ଜ ମାଡ଼ରେ ଆମ ଡଙ୍ଗା ଲେଉଟିପଡ଼ିଲା । ମୁଁ ପାଣିର କେତେକ ତଳକୁ ଚାଲିଗଲି । ସଙ୍ଗେ ସଙ୍ଗେ ସାହସ ବାନ୍ଧି ପହଁରି ଉପରକୁ ଉଠିବାକୁ ଚେଷ୍ଟାକଲି,; ମାତ୍ର ମୋତେ ଜଣାଗଲା, ମୁଁ ଯେପରି ଗୋଟିଏ ସ୍ରୋତ ମୁହଁରେ ପଡ଼ି ଆଗରୁ ଜୋରରେ ଭାସିଯାଉଛି । ଯେତେ ଚେଷ୍ଟାକଲେ ମଧ୍ୟ ସେ ସ୍ରୋତ କଟାଇ ଆସିପାରିଲି ନାହିଁ । ଅଳ୍ପ ସମୟ ପରେ ଗୋଟାଏ ଅନ୍ଧକାର ଗୁମ୍ଫା ଭିତରେ ଯେପରି ମୁଁ ପଶିଯାଉଛି; ସେହିପରି ବୋଧହେଲା । ତା ପରେ ଚାରିଆଡ଼ ଭୀଷଣ ଅନ୍ଧାର । ସେ ସ୍ଥାନ ଯେ ସମୁଦ୍ରର ପାଣିତଳ ନୁହେ, ତାହା ମୁଁ ବୁଝିପାରୁଥିଲି । ମାତ୍ର କେଉଁ ସ୍ଥାନରେ ଆସି ମୁଁ ପହଞ୍ଚିଲି, ତାହା ଜାଣିପାରିଲି ନାହିଁ ।”

 

“ତାହା ପରେ ଅସହ୍ୟ ଗରମ ବୋଧ କରି । ସୂର୍ଯ୍ୟକିରଣର ଗରମ ସେ ନୁହେଁ । ଚାରିଆଡ଼ ନିବିଡ଼ ଭାବରେ ବନ୍ଦ ହୋଇଥିବା ଗୋଟାଏ କ୍ଷୁଦ୍ର ଗୁମ୍ଫା ଭିତରେ ଲୋକ ରହି ତା ପାଖରେ ହୁହୁ ନିଆଁ ଜାଳିଲେ ଯେଉଁ ଗରମ ବୋଧ ହେବ, ସେହିପରି ଗୁଳୁଗୁଳି ଗରମ ମୋତେ ଜଣାଗଲା । ହାତ ବଢ଼ାଇ ସେ ସ୍ଥାନ ପରୀକ୍ଷା କରିବାକୁ ମୁଁ ଚେଷ୍ଟାକଲି । ଚିକ୍‍କଣ ଲାଳୁଆ ଜିନିଷ ହାତକୁ ଲାଗିଲା । ଦେହ ଝିମିଝିମି ହୋଇ ଆସିଲା, ତା ପରେ ଆଉ କିଛି ଜାଣିପାରିଲି ନାହିଁ—ବୋଧହୁଏ ଚେତା ବୁଡ଼ିଗଲା ।”

 

ଯେତେବେଳେ ଜ୍ଞାନ ହେଲା, ସେତେବେଳେ ମୁଁ ଜାଣିଲି ଯେ, ଜାହାଜର ଚିକିତ୍ସା ଘରେ ମୁଁ ଶୋଇ ରହିଛି ।”

 

—୮—

 

ଜଣେ ତିମି ଶିକାରୀ ତାଙ୍କ ପ୍ରଥମଥର ଶିକାରର ଅଭିଜ୍ଞତା ବର୍ଣ୍ଣନା କରି ଲେଖିଛନ୍ତି—

 

“ମୁଁ ପନ୍ଦରବର୍ଷ ବୟସରୁ ଜାହାଜରେ ଚାକିରି କରି ସମୁଦ୍ରକୁ ମୋର ଘରରୂପେ ବାଛି ନେଇଛି । ବର୍ଷକେ କେବେ କିପରି ପନ୍ଦର କୋଡ଼ିଏ ଦିନ ଅବା ସ୍ଥଳରେ କଟେ; ତା ନ ହେଲେ ଆଉ ସବୁ ସମୟ ରାତିଦିନ ସେହି ଆଖି ପାଉ ନ ଥିବା ନୀଳପାଣି ଉପରେ ହିଁ ବିତାଇବାକୁ ପଡ଼େ-। ଦୁଇ ତିନି ବର୍ଷ ପରେ ସମୁଦ୍ର ସହିତ ସତେ ଅବା ଗୋଟାଏ ଘନିଷ୍ଠ ସମ୍ପର୍କ ପ୍ରତିଷ୍ଠିତ ହୋଇଗଲା-। ସ୍ଥଳଭାଗରେ ରହିଲେ ସମୁଦ୍ରକୁ ଯିବାପାଇଁ ମନ ହାଇଁପାଇଁ ହୁଏ ।

 

ଚାକିରିର ପାଞ୍ଜ ବର୍ଷ ପରେ ତିମି ଶିକାରୀ ଦଳରେ ପ୍ରବେଶ କଲି । ପ୍ରଥମଥର ଶିକାରକୁ ଯିବା ପୂର୍ବରୁ କାପଟେନ୍ ମୋତେ ନାନାପ୍ରକାର କଳକୌଶଳ ଶିଖାଇ ଦେଲେ; ସମ୍ଭାବ୍ୟ ଆପଦ ବିପଦରୁ କିପରି ଉଦ୍ଧାର ପାଇବାକୁ ହେବ, ସେ ସମ୍ପର୍କରେ କେତେକ କଥା ବୁଝାଇଲେ ।”

 

ଜାନୁୟାରୀ ମାସର ଗୋଟିଏ ନିର୍ମଳ ପ୍ରଭାତରେ ଆମ ଜାହାଜ ତିମି ଶିକାର ପାଇଁ ଅନୁକୂଳ କଲା । ପାଞ୍ଚଦିନ ବେଶ୍ ଆନନ୍ଦ ଓ ଫୁର୍ତ୍ତିରେ କଟିଗଲା । ଷଷ୍ଠ ଦିନ ଆମେ ଆସି ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିଲୁ । ସେ ଦିନଟି ବିଶ୍ରାମ ନେବୁ ବୋଲି ସ୍ଥିର କଲୁ ।

 

ମାତ୍ର ବିଶ୍ରାମ ନେଇପାରିଲୁ ନାହିଁ । ଅଳ୍ପ ସମୟ ପରେ କେତେକ ଦୂରରେ ଗୋଟାଏ ତିମି ଭାସୁଥିବାର ଦେଖାଗଲା । ଜଣେ ସାଥୀ ପ୍ରଥମେ ଦେଖିଲେ ଓ ଆମ ସମସ୍ତଙ୍କୁ ତାହା ଦେଖାଇଦେଲେ । ମୁଁ ସେଦିଗକୁ ଚାହିଁରହିଲି; ମାତ୍ର ତିମି କାହିଁ ? ମୋତେ ଦେଖାଗଲା, ସମୁଦ୍ରର ପାଣି ଉପରେ ଗୋଟିଏ ପାଣିର ସ୍ତମ୍ଭ ଘନଘନ ଉପରକୁ ଖୁବ୍ ଜୋରରେ ଉଠିଯାଉଛି ଓ ପରମୁହୂର୍ତ୍ତରେ ପାଣିରେ ଖେଳେଇ ହୋଇ ପଡ଼ିଯାଉଛି ।

 

ଯାହାହେଉ ଆମର ବିଶ୍ରାମ ନେବା କଥା ନ ହେଲା । ତିନିଖଣ୍ଡି ଡଙ୍ଗାରେ ତିନିଦଳ ଶିକାରୀ ବସି ତିମି ପହଁରୁଥିବା ସ୍ଥାନକୁ ଚାଲିଲୁ । କେତେକ ଦୂର ଗଲାପରେ ମୋ ଡଙ୍ଗାର ମୁଖ୍ୟ କହିଲେ, ଛୁଆଟିଏ; ବୋଧହୁଏ ସାତ ଆଠମାସ ମାତ୍ର ବୟସ ହେବ । ସେତେବେଳକୁ ତିମି ପରିଷ୍କାର ଆମକୁ ଦେଖାଯାଉଥାଏ । ସେ ପାଣି ଭିତରେ କୁଆଡ଼େ ଅଦୃଶ୍ୟ ହୋଇଯାଉଥାଏ; ପୁଣି ପରମୁହୂର୍ତ୍ତରେ ପାଣି ପିଚକାରି ଉପରକୁ ମାରୁଥାଏ । ମୁଁ ଯାହା ଆକାର ପ୍ରକାର ଦେଖିଲି, ସେଥିରେ ଭାବିଲି; ଏ ଛୁଆଟିଏ ? ଯଦି ସାତ ଆଠ ମାସର ଛୁଆ ଏ ହେବ, ତେବେ ସାତ ଆଠ ବର୍ଷର ତିମି କେତେ ବଡ଼ ନହେବ ?

 

ଆମେ ଧରିନେଲୁ ଯେ, ଛୁଆର ପାଖଆଖରେ ନିଶ୍ଚୟ ମା ଥିବ । ମାତ୍ର ଯେତେ ଆଖି ବୁଲାଇଲେ ମଧ୍ୟ ମାଆର ଚିହ୍ନବର୍ଣ୍ଣ ପାଇଲୁ ନାହିଁ ।

 

ଅତି ନିକଟ ହୋଇଯିବାରୁ ତିନି ଡଙ୍ଗାରୁ ପାଞ୍ଚଗୋଟି ବର୍ଚ୍ଛା ଏକସମୟରେ ତିମିର ଦେହକୁ ଲକ୍ଷ୍ୟ କରି ମରାଗଲା । ସେଥିରୁ ଦୁଇଟି ବ୍ୟର୍ଥ ହୋଇଗଲା । ବାକି ତିନୋଟି ତିମି ଦେହ ଫୁଟାଇ ଦେବା ସଙ୍ଗେ ସଙ୍ଗେ ସମୁଦ୍ର ଉପରେ ଯେପରି ପ୍ରଳୟ ଖେଳିଗଲା ।

 

ପାଣି ଏତେ ଜୋରରେ ଲହଡ଼ି ମାରିଲା ଯେ, ଆମ ଡଙ୍ଗାଗୁଡ଼ିକ କେବଳ ନାଚିବାକୁ ଲାଗିଲା । କେଉଁ ମୁହୂର୍ତ୍ତରେ ଯେ, ପାଣି ପଶି ତାହା ବୁଡ଼ିଯିବ, ସେହି ଆଶଙ୍କା ମନରେ ଜାତହେଲା-। କ୍ରମେ ଆମେ ଡଙ୍ଗା ଟିକିଏ ଦୂରକୁ ନେଇଯିବାକୁ ଚେଷ୍ଟାକଲୁ ଓ ସେହି ଅନୁସାରେ ବର୍ଚ୍ଛାର ଦଉଡ଼ା ଲମ୍ବାଇବାକୁ ଲାଗିଲୁ । ମାତ୍ର ତିମି ଯାଉଥିବା ଦିଗରେ ଡଙ୍ଗା ଏତେଜୋରରେ ଟାଣି ହୋଇ ଯାଉଥାଏ ଯେ, ବିପରୀତ ଦିଗରେ ଯିବା ସମ୍ଭବ ହେଉ ନ ଥାଏ ।

 

ପ୍ରାୟ ପନ୍ଦର ସେକେଣ୍ଡ ମାତ୍ର ସମୟ ଯାଇଛି । ଆମମାନଙ୍କ ଚାରିଦିଗରେ ଶହଶହ ସଂଖ୍ୟାରେ ଖୁବ୍ ବଡ଼ବଡ଼ ତିମି ପାଣିରେ ଭାସିଉଠିଲେ । ଏତେ ସଂଖ୍ୟାରେ ଓ ଏପରି ବିରାଟ ଜନ୍ତୁ ଦେଖି ଆମମାନଙ୍କ ଆଖିରେ ପଲକ ପଡ଼ିଲା ନାହିଁ । କାପଟେନ୍ ଆଗରୁ କହିଥିଲେ, ତିମି ସାଧାରଣତଃ ବେଶି ସଂଖ୍ୟାରେ ଦଳ ବାନ୍ଧି ରହନ୍ତି ନାହିଁ । ତେବେ ଏଠାରେ ଏକାଠି ଏତେ ତିମି ଆସିଲେ କୁଆଡ଼ୁ ?

 

ଅବଶ୍ୟ ପରେ ବୁଝିପାରିଲି, ପ୍ରଥମ ଦର୍ଶନରେ ମୋର ଚକ୍ଷୁଭ୍ରମ ଘଟିଥିଲା । ସେଠାରେ ଶହ ଶହ ସଂଖ୍ୟାରେ ତିମି ନ ଥିଲେ; ଦଶ ପନ୍ଦରଟି ମାତ୍ର ତିମି ଥିଲେ ।

 

ଏମାନଙ୍କୁ ବର୍ଚ୍ଛା ମାରି ରଗାଇବା ବିପଦଜନକ— ସେହି କଥା ଆମେ ଆଲୋଚନା କରୁଛୁ । ଦେଖିପାରିଲୁ ଯେ, ଆମକୁ ସାହାଯ୍ୟ କରିବା ଲାଗି ଆଉ ତିନୋଟି ଡଙ୍ଗା ଜାହାଜ ପାଖକୁ ଆସୁଛି । ଆମର ସାହସ ବଢ଼ିଗଲା । ଆମେ ପୁଣି ଯୁଦ୍ଧ କରିବାକୁ ସଜବାଜ ହୋଇଗଲୁ ।

ସେ ଡଙ୍ଗା ତିନୋଟି ଆମ ପାଖରେ ପହଞ୍ଚିବା ପୂର୍ବରୁ ତଳେ ଗୋଟାଏ ପ୍ରବଳ ଧକ୍କା ଖାଇ ମୁଁ ବସିଥିବା ଡଙ୍ଗାଟି ପାଣିଠାରୁ କେତେ ହାତ ଉପରକୁ ଉଠିଗଲା; ସଙ୍ଗେସଙ୍ଗେ ଓଲଟି ପାଣିରେ ପଡ଼ିଲା । ଆମେ ସେଥିରେ ଥିଲୁ ସାତଜଣ । କାହା ଭାଗ୍ୟରେ କଅଣ ଘଟିଲା, ତାହା ଜାଣିବାକୁ ଅବସର ମିଳିଲା ନାହିଁ ।

ଏ ଅବସ୍ଥାରେ ମୋ ଭଳି ଯେ କେହି ନୂଆଲୋକ ଚେତା ହରାଇ ବସିବା ଅସମ୍ଭବ ନୁହେଁ । ମାତ୍ର ସୌଭାଗ୍ୟର କଥା, ମୋତେ ସେ ଦଶା ଘାରି ନ ଥିଲା । ମୁଁ ପାଣି ଭିତରେ ଅଳ୍ପ ତଳକୁ ଯାଇ ପୁଣି ଉପରକୁ ଉଠି ଆସିଲି ଓ ଯଥାସାଧ୍ୟ ପହଁରିବାକୁ ଲାଗିଲି । ପାଖରେ ଗୋଟାଏ ମସ୍ତବଡ଼ ଡଙ୍ଗା ଓଲଟି ପଡ଼ିଥିବାର ଦେଖି ତା ପାଖକୁ ପହଁରିଗଲି ଓ ତା ଉପରେ ଚଢ଼ି ବସିଲି । କିନ୍ତୁ ସେ ଯେ ଜୀବନ୍ତ ଡଙ୍ଗା, ତାହା ବୁଝିବାକୁ ବେଶି ଡେରି ଲାଗି ନ ଥିଲା । ତାହା ଗୋଟିଏ ତିମି । ହାତୀ ଉପରେ ମାଛିଟିଏ ବସିଲା ପରି ମୁଁ ଯେ ତା ପିଠିରେ ଆରୋହୀ ହୋଇଛି, ସେ ତାହା ଜାଣିପାରିଲା କି ନାହିଁ ମୁଁ ବୁଝିପାରିଲି ନାହିଁ । ସଙ୍ଗେସଙ୍ଗେ ସେ ପାଣିରେ ବୁଡ଼ିଗଲା ଓ ମୁଁ ବି ତା ସଙ୍ଗରେ ବୁଡ଼ିଗଲି । ପରମୁହୂର୍ତ୍ତରେ ସେ ଭାସିଉଠିବାରୁ ମୁଁ ଉପରକୁ ଉଠି ନିଃଶ୍ୱାସ ନେଲି । ଏହିପରି ଆଉ ଦୁଇଥର ଡୁବନ ଦେବାପରେ ଅବସ୍ଥା କଅଣ ହେଲା ମୁଁ ଆଉ ଜାଣେ ନାହିଁ ।

ପରେ ମୋର ଡାକ୍ତରଖାନାରେ ଚେତନା ଆସିଲା । ସାଥିମାନଙ୍କଠାରୁ ଶୁଣିଲି, ଆମେ ସେହି ଯୁଦ୍ଧରେ ଏକାବେଳକେ ପାଞ୍ଚଗୋଟି ତିମିଙ୍କୁ ବନ୍ଦୀ କରିଆଣିଛୁ । ତାହାର ମୂଲ୍ୟ ସ୍ୱରୂପ ଆମର ଦୁଇଜଣ ସାଥୀଙ୍କୁ ଚିରଦିନ ପାଇଁ ହରାଇଛୁ ଓ ପାଞ୍ଚଜଣଙ୍କ ଅବସ୍ଥା ଏପରି ହୋଇଛି ଯେ, ସେମାନେ ତାଙ୍କ ଜୀବନ କାଳ ଭିତରେ ଆଉ ତିମି ଶିକାର କରିବାକୁ ସମର୍ଥ ହୋଇ ପାରିବେ ନାହିଁ-। ଦୁଇଜଣଙ୍କ ଅଣ୍ଟା ଭାଙ୍ଗି ଯାଇଛି । ଜଣଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଉଡ଼ିଯାଇଛି । ବାକି ଦୁଇଜଣ ସେହିପରି ଗୁରୁତର ଆଘାତ ପାଇଛନ୍ତି ।

ଯେଉଁ ଦୁଇଜଣ ହତଭାଗ୍ୟ ତାଙ୍କ ଜୀବନ ଦେଇ ଆମକୁ ପାଞ୍ଚଗୋଟି ତିମିର ଅଧିକାରୀ କରିଦେଇଗଲେ; ତାଙ୍କ ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ବ୍ୟତୀତ ଆମର ଆଉ କଅଣ ବା କର୍ତ୍ତବ୍ୟ ଅଛି ?

 

—୯—

 

କେତେ ବର୍ଷ ତଳେ ସ୍ୱିଜର୍‍ଲାଣ୍ଡର ଉପକୂଳରେ ଗୋଟିଏ ତିମି ଦେଖାଗଲା । ସେ ଅଞ୍ଚଳ ତିମିଙ୍କ ବାସସ୍ଥାନ ନୁହେ । ତଥାପି ସେ ଗୋଟିକ ଯେ କେତେ ଦୂରରୁ ଆସି ସେଠାରେ ଆଶ୍ରୟ ନେଇଥିଲା, ତାହା ବୁଝା ଯାଉ ନ ଥାଏ ।

 

ତିମିଟି ଅବଶ୍ୟ ବଡ଼ ନୁହେ, ଦେହର ଲମ୍ବା କୋଡ଼ିଏ, ପଚିଶ ହାତ ମଧ୍ୟରେ ହେବ ।

 

ଅଶ୍ଚର୍ଯ୍ୟର କଥା, ସେହି ବାଟରେ ଯେତେବେଳେ ଜାହାଜ ଯାଏ, ତିମିଟି ସେତେବେଳେ ପାଣିରେ ଭାସିଉଠେ ଓ ଜାହାଜ ଚାରିପାଖରେ ଘୂରିବୁଲେ । ଅନେକ ସମୟରେ ଜାହାଜ ଆଗେ ଆଗେ ବାଟ କଢ଼ାଇ ନେଲାପରି ପହଁରୁଥାଏ ।

 

ପୋଷାକୁକୁର ତା ମୁନିବ ସଙ୍ଗରେ ଆଗେ ଆଗେ ଗଲାବେଳେ ଯେପରି ଥରେଥରେ ପଛକୁ ଚାହିଁଦେଇ ଆନନ୍ଦ ପ୍ରକାଶ କରେ ଓ ଆଗକୁ ଦଉଡ଼ିଯାଏ, ତିମିଟି ସେହିପରି ଥରେଥରେ ଜାହାଜ ଆଡ଼କୁ ବୁଲିପଡ଼ି ଚାହେଁ; ଜାହାଜ ଗତିର ଲକ୍ଷ୍ୟ ଅନୁସରଣ କରି ପୁଣି କିଛି ବାଟ ଆଗକୁ ପହଁରିଯାଏ । ତା ଚାହିଁବା ଭଙ୍ଗୀ ଓ ଲାଞ୍ଜ ପିଟାରୁ ଅନୁମାନ ହୁଏ, ସେ ଯେପରି ଖୁବ୍ ଆନନ୍ଦ ପ୍ରକାଶ କରୁଛି । ଜାହାଜ ସହିତ ଏହିପରି ସେ ଦଶ ବାର ମାଇଲ ପର୍ଯ୍ୟନ୍ତ ଯାଏ, ତାହା ପରେ ପାଣି ଭିତରେ ଅଦୃଶ୍ୟ ହୋଇଯାଏ ।

 

ପ୍ରତ୍ୟେକ ଜାହାଜ ଗଲାବେଳେ ଜାହାଜର ଯାତ୍ରୀ ତାର ଏ ଭଙ୍ଗୀ ଦେଖନ୍ତି । ଅନେକେ ପାଖରେ ଥିବା ରୁଟି, ବିସ୍କୁଟ ପ୍ରଭୃତି ଖାଦ୍ୟଦ୍ରବ୍ୟ ତା ପାଖକୁ ପକାଇଦିଅନ୍ତି । ସେଗୁଡ଼ିକ ତାର ଖାଦ୍ୟ ନୁହେଁ । ସେ ତାକୁ ଚାହେଁ ନାହିଁ; ଜାହାଜ ଓ ଜାହାଜର ଯାତ୍ରୀଙ୍କୁ ଚାହିଁ ଚାଲିଥାଏ । ସତେ ଅବା ଯାତ୍ରୀଙ୍କ ସହିତ ତାର କେଉଁ ଜନ୍ମରୁ ବନ୍ଧୁତା ଲାଗି ରହିଛି ।

 

ଏହିପରି ପ୍ରାୟ ବର୍ଷେ ଯାଏ ଲାଗିଥିଲା । ଥରେ ଗୋଟିଏ ଜାହାଜର ଜଣେ ଯାତ୍ରୀ ତାକୁ ଲକ୍ଷ୍ୟ କରି ବନ୍ଧୁକ ମାରିଲେ । ଗୁଳି ତା ଦେହରେ ବାଜିଲା; ମାତ୍ର ତାର କେତେଦୂର କଅଣ କ୍ଷତି ହେଲା, ତାହା ଜଣା ପଡ଼ିଲା ନାହିଁ । ସେ ଯେ ପାଣିରେ ବୁଡ଼ିଗଲା, ଆଉ ତିନିମାସ ପର୍ଯ୍ୟନ୍ତ ତା ମୁହଁ କେହି ଦେଖି ନାହାନ୍ତି, ତିନିମାସ ପରେ ପୁଣି ସେ ଦେଖାଗଲା । ମାତ୍ର ସେତେବେଳେ ସେ ଆଉ ଜାହାଜ ପାଖକୁ ଆସେ ନାହିଁ; ପ୍ରାୟ ଅଧମାଇଲ ଦୂରରେ ରହି ଜାହାଜ ଚାରିପାଖ ଘୂରୁଥାଏ ଓ ଆଗେ ଆଗେ ବାଟ କଢ଼ାଇ ନେଉଥାଏ । ବହୁତ ଦିନଯାଏ ଜାହାଜର ଯାତ୍ରୀମାନେ ତାକୁ ଏଇପରି ଅବସ୍ଥାରେ ଦେଖିଥିଲେ ।

 

ତାକୁ ଦେଖି ଦେଖି ଜାହାଜ ସବୁର କେତେକ କର୍ମଚାରୀଙ୍କ ମନରେ ବିଶ୍ୱାସ ଜନ୍ମିଥିଲା, ତାହା ତିମି ନୁହେ; କୌଣସି ଦେବତା ତିମି ରୂପରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ଘୂରି ବୁଲୁଛି । ତିମିଟିର ଏ ଆଚରଣର ତାତ୍ପର୍ଯ୍ୟ ଏପର୍ଯ୍ୟନ୍ତ ମଧ୍ୟ କୌଣସି ଜୀବଜନ୍ତୁ ବିଶେଷଜ୍ଞ ବୁଝିପାରି ନାହାନ୍ତି ।

 

—୧୦—

 

ଥରେ ଦଳେ ଶିକାରୀ ଗୋଟିଏ ବଡ଼ କାଠମୁହାଁ ତିମି ମାରିଥିଲେ । ସେ ତାକୁ ଶୁଖିଲାକୁ ଆଣି ପେଟ ଚିରିବାରୁ ଦେଖାଗଲା ଯେ, ତା ପାକସ୍ଥଳୀ ଭିତର ଜଣେ ବଳିଷ୍ଠ ଲୋକ ଓ ଦୁଇଟି ବଡ଼ ସାର୍କ ମାଛ ନିଶ୍ଚିନ୍ତମନରେ ଶୋଇଅଛନ୍ତି । ଅବଶ୍ୟ ତାହା ତାଙ୍କର ଚିରନିଦ୍ରା । ତିମିଟି ମରିବାର ଅଳ୍ପ ସମୟ ପୂର୍ବରୁ ଏମାନଙ୍କୁ ଗିଳିଥିଲା । ତାହା ହଜମ ନ ହେଉଣୁ ନିଜେ ଜୀବନ ହରାଇଛି ।

ତିନିଟିଯାକ ମୃତଦେହ ପରୀକ୍ଷା କରି ଦେଖାଗଲା କାହାରି ଦେହରେ କୌଣସି ସ୍ଥାନରେ ହେଲେ ଆଘାତ ଲାଗି ନାହିଁ । ମନୁଷ୍ୟଟିକୁ ବଞ୍ଚାଇବା ପାଇଁ ବହୁତ ଉଦ୍ୟମ ହୋଇଥିଲା; ମାତ୍ର ସବୁ ବିଫଳ ହେଲା ।

ଜଣେ ତିମି ଶିକାରୀ ତାଙ୍କର ପ୍ରଥମ ଥର ତିମି ଶିକାରର ଅଭିଜ୍ଞତା ବର୍ଣ୍ଣନା କରି ଲେଖିଛନ୍ତି—ପ୍ରାୟ ତିନି ସପ୍ତାହ ସମୁଦ୍ର ଭିତରେ କଟିଲା ପରେ ଆମ ଜାହାଜ ଗୋଟିଏ ଦ୍ୱୀପ ପାଖରେ ପହଞ୍ଚିଲା । ସେଠାରେ ବଡ଼ ଜାହାଜଟିକୁ ଲଙ୍ଗର କରାଗଲା । ତାହା ହେଉଛି ତିମି କାରଖାନା । ଦ୍ୱୀପରେ ତମ୍ୱୂ ପକାଇ କାରଖାନା ଖୋଲାଗଲା । ବଡ଼ ବଡ଼ କ୍ରେନ, କରତକଳ, ବଡ଼ ଚୂଲା ଠିକ୍ ମୁତାବକ ବସାଗଲା ।

ସେ ଜାହାଜ ସହିତ ଆଠଗୋଟି ସାନ ଜାହାଜ ରହିଥାଏ । ଦ୍ୱିତୀୟ ଦିନ ସେ ଜାହାଜଗୁଡ଼ିକ ତିମି ଅନୁସନ୍ଧାନରେ ବାହାରିଲେ । ଖୋଦ୍ କାପଟେନ୍ ଯେଉଁ ଜାହାଜରେ ଥିଲେ, ମୋର ସ୍ଥାନ ସେଇ ଜାହାଜରେ ହେଲା । କାପଟେନ୍‍ ଦକ୍ଷ ତିମି-ଶିକାରୀ । ତାଙ୍କ ଜୀବନରୁ ଅର୍ଦ୍ଧେକ ସମୟ ସେ ତିମି ସହିତ ଯୁଦ୍ଧ କରି କଟାଇ ଦେଲେଣି ।

ଦୁଇ ଦିନ ଓ ଦୁଇ ରାତି ସେହି ଜାହାଜରେ ବସି ପାଣି ଉପରେ କେବଳ ବୁଲିବାରେ ହିଁ କଟିଗଲା । ତୃତୀୟ ଦିନ ସକାଳୁ ଚାରିଆଡ଼େ ଫର୍ଚ୍ଚା ହୋଇଯିବା ସଙ୍ଗେ ସଙ୍ଗେ ଆମର ଭାଗ୍ୟ ଖୋଲିଗଲା । ମାସ୍ତୁଲ ଉପରେ ଥିବା ଲୋକଟି ପାଟିକରି ଉଠିଲେ, “ଦୁଇଟା ତିମି ।” ସେ ହାତ ବଢ଼ାଇ ଯେଉଁ ଦିଗକୁ ଦେଖାଇ ଦେଲେ, ଜାହାଜ ସେହି ଦିଗରେ ଗତିକଲା ।

କିଛି ବାଟ ଗଲାପରେ ମୁଁ ଦେଖିଲି, ଦୁଇଟା କଳା କଳା ଜିନଷ କଅଣ ପାଣି ଉପରେ ଭାସୁଛି । ଯେ କେହି ନୂଆ ସମୁଦ୍ରଯାତ୍ରୀ କହିବ, ଦୁଇଟି ଛୋଟ ଦ୍ୱୀପ । ମାତ୍ର ମୁଁ ଆଗରୁ ବହୁବାର ସମୁଦ୍ରରେ ଯାତାୟାତ କରିଛି—ମୋର ସେ ଭ୍ରମ ହେବାର ନୁହେଁ । ତାହା ଦୁଇଟା ତିମିର ମୁଣ୍ଡ ।

ସେଇ ତିମି ଦୁଇଟି ମିନିଟିଏ ଯାଏ ଉପରକୁ ମୁଣ୍ଡ ଟେକି ଭାସି ବୁଲନ୍ତି । ଯେଉଁ ପାଣି ପିଚ୍‍କାରୀ ମାରନ୍ତି, ତାହା ତିନି ଚାରି ମିଟର ପର୍ଯ୍ୟନ୍ତ ଉଚ୍ଚରେ ଉଠି ଖେଳେଇ ହୋଇ ପଡ଼ିଯାଏ । ସେ ପାଣିର କେତେକ ଅଂଶ ନେଳିଆ ହୋଇଥିବାରୁ ତାହା ସମୁଦ୍ର ପାଣିରେ ପଡ଼ି ଚିକ୍ ଚିକ୍ ଦେଖାଯାଏ । ତାହାପରେ ଦ୍ରୁତବେଗରେ ସେ ଦୁହେଁ କିଛି ଦୂର ଚାଲିଯାଇ ପାଣି ତଳେ ବୁଡ଼ି ଯାଆନ୍ତି; ପୁଣି ଅଶୀ ନବେ ମିଟର ଦୂରରେ ଭାସିଉଠନ୍ତି ।

ତାଙ୍କ ପଛେପଛେ ଆମ ଜାହାଜ ଦଉଡ଼ୁଥାଏ । ଯେପରିକି ତିମି ଓ ଜାହାଜ ମଧ୍ୟରେ ଦଉଡ଼ିବା ପ୍ରତିଯୋଗିତା ଲାଗିଯାଇଛି । କ୍ରମେ ଦୂରତ୍ୱ କମି ତିରିଶ ମିଟର ଭିତରେ ରହିଲା । କାପଟେନ୍ ହାର୍ପୁନ୍‍ (ବର୍ଚ୍ଛା ଛାଡ଼ିବା ବନ୍ଧୁକ) ମୁହଁକୁ ଘୂରାଇ ଲକ୍ଷ୍ୟ ଠିକ୍ କରୁଥାନ୍ତି ।

ଏହିପରି ତିମି ଦୁଇଟି ପଛରେ ଗୋଡ଼ାଇବାରେ ଦୁଇଘଣ୍ଟା ସମୟ କଟିଗଲା । ଶେଷକୁ ଦୂରତ୍ୱ ରହିଲା ଦଶ ମିଟର ମଧ୍ୟରେ । ପାଣି ଉପରେ ତିମି ଭାସି ଉଠିବା ସଙ୍ଗେ ସଙ୍ଗେ କାପଟେନ୍ ହାର୍ପୁନ୍‍ର ଘୋଡ଼ା ଟିପିଦେଲେ । ବନ୍ଧୁକ ମୁହଁରୁ ପ୍ରଚୁର ଧୂଆଁ ବାହାରିଗଲା ଏବଂ ତୀକ୍ଷ୍‍ଣ ବର୍ଚ୍ଛା ଅତି ଜୋରରେ ଯାଇ ଗୋଟାଏ ତିମି ମୁଣ୍ଡରେ ବାଜିଲା; କିନ୍ତୁ ଫୁଟିଗଲା ନାହିଁ । ଟାଣ ପଥରରେ କୁରାଢ଼ି ମାରିଲେ, ତାହା ଯେପରି ଛିଟିକି ଆସେ, ବର୍ଚ୍ଛା ସେହିପରି ଛିଟିକି ଗଲା । ତିମିଟା ପାଣି ଭିତରେ ବୁଡ଼ିଗଲା ।

ଦଉଡ଼ିଟାଣି ବର୍ଚ୍ଛାଟାକୁ ଜାହାଜ ଉପରକୁ ଅଣାଗଲା । ଦେଖାଗଲା ଯେ, ବର୍ଚ୍ଛାର ମୁନ ଓଲଟି ଯାଇଛି । ତାକୁ କାଢ଼ି ଦଉଡ଼ାରେ ଆଉ ଗୋଟାଏ ବର୍ଚ୍ଛା ବାନ୍ଧି ଦିଆଗଲା ।

ତାହାର ଘଣ୍ଟାକ ପରେ ପ୍ରାୟ ପନ୍ଦରମିଟର ଦୂରରେ ଗୋଟାଏ ତିମି ଭାସି ଉଠିଲା । କାପଟେନ୍‍ ହାର୍ପୁନ୍‍ ଘୋଡ଼ା ଟିପିଲେ । ବର୍ଚ୍ଛା ଯାଇ ତିମିର ମୁଣ୍ଡରେ ଯୋରରେ ବାଜି ଭିତରକୁ ଗଳିଗଲା । କାପଟେନ୍‍ ହାଙ୍କିଦେଲେ, ସାବଧାନ ! ସାରଙ୍ଗ ଉତ୍ତର ଦେଲେ ଖବରଦାର୍‍ । ତା ଅର୍ଥ ସମ୍ମୁଖରେ ଭୟଙ୍କର ବିପଦ, ସମସ୍ତେ ସାବଧାନ ରୁହ ।

ବର୍ଚ୍ଛାରେ ବନ୍ଧା ହୋଇଥିବା ଦଉଡ଼ାରେ ପ୍ରତି ଷୋହଳମିଟର ଅନ୍ତରରେ ନାଲି ଦାଗ ଦିଆ ଯାଇଥାଏ । ସେହି ଦଉଡ଼ା ତିନିଶହ ମିଟର ଲମ୍ବା ଥାଏ । ଅତି ଜୋରରେ ସେ ଦଉଡ଼ା ଟାଣିହୋଇ ପାଣି ଭିତରକୁ ଚାଲିଯାଉଥାଏ । ତା ସଙ୍ଗେ ସଙ୍ଗେ ଜାହାଜ ବି ଚାଲିଯାଉଥାଏ । ଦଉଡ଼ା ଶେଷ ହେଲା ବେଳକୁ ଜାହାଜରେ ଏତେ ଜୋରରେ ଧକ୍କା ଲାଗିଲା ଯେ, ଆମେ ସମସ୍ତେ ଟାଳ ସମ୍ଭାଳି ନ ପାରି ପଡ଼ିଗଲୁ । ରକ୍ଷା ହୋଇଛି, ପାଣି ଭିତରେ କେହି ପଡ଼ିନାହୁଁ ।

କ୍ରମେ ଦଉଡ଼ିଟଣାର ଗତି ଟିକିଏ ମନ୍ଥର ଜଣାଗଲା । କାପଟେନ୍‍ଙ୍କ ନିର୍ଦ୍ଦେଶକ୍ରମେ ଆମେ ସମସ୍ତେ ଲାଗିପଡ଼ି ଚକ ଘୂରାଇଲୁ । ତା ଫଳରେ ବର୍ଚ୍ଛାର ଦଉଡ଼ା ପାଣିରୁ ଟାଣିହୋଇ ଆସି ଗୁଡ଼ାଇ ହେବାକୁ ଲାଗିଲା ।

ତିମିର ପ୍ରକାଣ୍ଡ ଦେହ ପାଣି ଉପରେ ଭାସିଉଠିଲା । ଏ ପର୍ଯ୍ୟନ୍ତ ଆକାଶରେ କୌଣସି ପକ୍ଷୀର ଚିହ୍ନ ନ ଥିଲା । ହଠାତ୍ କୁଆଡ଼ୁ ଶହ ଶହ କଳାରଙ୍ଗର ପକ୍ଷୀସବୁ ଆସି ଆକାଶରେ ଉଡ଼ି ବୁଲିଲେ । କୌଣସିଠାରେ ମୃତଦେହ ପଡ଼ିଲେ ଯେପରି ଶୂନ୍ୟରେ ଶାଗୁଣା ଚକ୍ରି ଦେଇ ଉଡ଼ନ୍ତି, ସେହିପରି ଏ ପକ୍ଷୀଗୁଡ଼ିକ ଉଡ଼ି ଆକାଶକୁ ଛାଇଦେଲେ ।

ସମୁଦ୍ରର ପାଣି ତିମି ରକ୍ତରେ ଏକାବେଳକେ ଲାଲ ହୋଇଗଲା । ସେ ସମ୍ପୂର୍ଣ୍ଣରୂପେ ମରି ନ ଥାଏ, ଛଟପଟ ମାତ୍ର ହେଉଥାଏ । ସେତେବେଳେ ଆମ ଜାହାଜ ବୁଡ଼େ ନ ବୁଡ଼େ । ଏହିପରି ଘଣ୍ଟାଏ ପର୍ଯ୍ୟନ୍ତ ଧସ୍ତାଧସ୍ତି ଚାଲିଲା । ତାହାପରେ ସବୁ ସ୍ଥିର ଅଚଳ । ପ୍ରକାଣ୍ଡକାୟ ତିମିର ଶରୀର ପୂରାପୂରି ପାଣି ଉପରେ ଭାସିବାକୁ ଲାଗିଲା । ସେତେବେଳକୁ ତା ଦେହରୁ ପ୍ରାଣବାୟୁ ଉଡ଼ି ଯାଇଥାଏ ।

ତିନିଗୋଟି ଦଉଡ଼ି ନେଇ ତାହାର ଲାଞ୍ଜରେ ବାନ୍ଧି ଦିଆଗଲା । ବର୍ଚ୍ଛାର ଦଉଡ଼ା ମଧ୍ୟ ଜାହାଜର ଉପରମୁଣ୍ଡରେ ବନ୍ଧା ଯାଇଥାଏ । ତାହା ପରେ ଦେହର ଚମ କଣାକରି ପମ୍ପ ସାହାଯ୍ୟରେ ଥୋଡ଼ାଏ ପବନ ତା ଭିତରେ ପୂରାଇ ଦିଆଗଲା । ସେହି ବିଶାଳଦେହ ପୁଣି ଫୁଲି ଉଠିଲା ଓ ହାଲୁକା ହେବାରୁ ପାଣି ଉପରେ ଫୁଟବଲ ପରି ସୁବିଧାରେ ଭାସିଲା । ଜାହାଜ ଆସ୍ତେଆସ୍ତେ ଦ୍ୱୀପ ଅଭିମୁଖରେ ଯାତ୍ରା କଲା ।

ଦ୍ୱୀପରେ ପହଞ୍ଚିଲା ବେଳକୁ ରାତି ହୋଇଯାଇଥିଲା । ମାତ୍ର ସେଠାରେ ଆମର କାରଖାନା ଖୋଲାଯାଇଥିବାରୁ ଇଲେକ୍‍ଟ୍ରିକ ଆଲୁଅରେ ଚାରିଆଡ଼ ଦିନ ଭଳି ଦେଖାଯାଉଥାଏ ।

ଆମ ଜାହାଜ କୂଳରେ ଅଟକିବା ସଙ୍ଗେସଙ୍ଗେ କ୍ରେନ ସାହାଯ୍ୟରେ ତିମିଟାକୁ ଦ୍ୱୀପ ଉପରକୁ ନେଇଗଲୁ । ମୋଟା ହୋସ୍ ପାଇପ ଲଗାଇ ତାର ସର୍ବାଙ୍ଗ ପାଣିରେ ଭଲରୂପେ ଧୋଇ ଦିଆଗଲା । ଚମଡ଼ାରେ ଆଠ ଦଶ ଜାଗା କଣାକରି ଯୋରରେ ପମ୍ପ କରାଗଲା । ବହୁ ସମୟ ଏଭଳି ପମ୍ପ କରାଯିବାରୁ ଚମଡ଼ାଟି ଦେହରୁ ସୁବିଧାରେ ଅଲଗା ହୋଇଗଲା । ଚମଡ଼ାକୁ ଯତ୍ନରେ ରଖିଦେଇ ଚର୍ବିଯାକ ପିମ୍ପାରେ ପୂରାଇଲୁ । ଚର୍ବିତଳେ ଥିବା ତୈଳାକ୍ତ ମାଂସ ବଡ଼ ବଡ଼ କଡ଼େଇରେ ପୁରାଇ ଚୁଲୀରେ ବସାଇଲୁ । ହାଡ଼ଗୁଡିକ ପୃଥକ କରି ଜମାଇ ରଖିଲୁ । ବାକି ମାଂସତକ ଭାଡ଼ି ଦେହରେ ଓହଳାଇ ଦେଲୁ–କିଛି ଦିନ ଖରା ଖାଇଲେ, ତାହା ଶୁଖିଯିବ ।

ଚର୍ବିରୁ ସାବୁନ, ସ୍ନୋ ପ୍ରଭୃତି ପ୍ରସ୍ତୁତ ହେବ । ତୈଳାକ୍ତ ମାଂସରେ ମହମବତୀ ପ୍ରଭୃତି ଏବଂ ହାଡ଼ରେ ନାନା ପ୍ରକାର ଶିଳ୍ପ କାର୍ଯ୍ୟ ଅଳଙ୍କାର ଓ ଘରର ଦରକାରୀ ଜିନିଷ ସବୁ ତିଆରି ହେବ । ଚମଡ଼ାର ମଧ୍ୟ ଚାହିଦା ବହୁତ । କାପଟେନ୍‍ ଅନୁମାନ କରି କହିଲେ, ଏହି ତିମିରୁ ଆମେ ଦଶ ବାର ହଜାର ଟଙ୍କା ପାଇ ପାରିବା ।

ତିମିଟି ତିରିଶ ମିଟର ଲମ୍ବା ଥିଲା ଓ ତାର ଓଜନ ଥିଲା ଷୋଳଶହ ମହଣ ।

ସେଦିନ ରାତିରେ ତିମି ମାଂସ ହିଁ ଆମର ପ୍ରଧାନ ଖାଦ୍ୟ ହୋଇଥିଲା । ତାହା ଯେପରି ସୂସ୍ୱାଦୁ ସେହିପରି ରୁଚିକର ।

Image